
ନୂଆଦିଲ୍ଲୀ ୨୯।୦୬: ପୂର୍ବ ଲଦାଖରେ ଗଲଓ୍ଵାନ ଉପତ୍ୟକାରେ ଜୁନ ୧୫ର ଭାରତ-ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହି ଘଟଣା ପରେ ଦେଶରେ ଚୀନ ବିରୋଧରେ ଆକ୍ରୋଶ ବଢିବାରେ ଲାଗିଥିଲା। ବୟକଟ ଚାଇନା ଅଭିଯାନ ଜୋର ଧରିଥିଲା। ଚୀନ ସାମଗ୍ରୀ ବହିଷ୍କାର ସହିତ ଚୀନ ଆପ୍ ବ୍ୟାନ୍ କରିବାକୁ ଦାବି ଜୋର ଧରିଥିଲା। ଏବେ ଚୀନ ଉପରେ ବାଜିଛି ଶକ୍ତ ଚାପୁଡା। ଏବେ ସରକାର ଏହାକୁ ଗମ୍ଭୀରତାର ସହ ଚାଇନା ଆପକୁ ଦେଶରେ ବ୍ୟାନ୍ କରିବାକୁ ଘୋଷଣା କରିଛନ୍ତି। ତଥ୍ୟ ଚୋରି ଅଭିଯୋଗରେ ଟିକ୍ଟକ୍ ସମେତ ୫୯ଟି ଚାଇନିଜ୍ ଆପ୍କୁ ବ୍ୟାନ୍ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏଥିରେ ୟୁସି ବ୍ରାଉଜର ମଧ୍ୟ ସାମିଲ।
ସରକାରଙ୍କ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ସରକାର ସେହି ୫୯ ମୋବାଇଲ ଆପ୍ ଉପରେ ବ୍ୟାନ୍ ଲଗାଇଛନ୍ତି ଯାହା ଦେଶର ସାର୍ବଭୌମତ୍ଵ ଓ ଅଖଣ୍ଡତା, ଦେଶର ରକ୍ଷା, ରାଜ୍ୟର ସୁରକ୍ଷା ଏବଂ ସାର୍ବଜନୀନ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିଥିଲା। ଟିକ୍ଟକ୍ ସମେତ ଏଥିରେ ୟୁସି ବ୍ରାଉଜର, ସେୟାର ଇଟ୍, ହେଲ ପରି ୫୯ ଆପ୍ ସାମିଲ।
ଏହା ପୂର୍ବରୁ ଭାରତୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ ଚାଇନିଜ୍ ଆପ୍ର ଏକ ତାଲିକା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଅପିଲ୍ କରାଯାଇଥିଲା ଯେ, ଏହି ଆପ୍କୁ ତୁରନ୍ତ ମୋବାଇଲ୍ରୁ ହଟାଇ ଦିଆଯାଉ। ଏହା ପଛରେ ତର୍କ ଦିଆଯାଇଥିଲା ଯେ, ଚୀନ ଏହି ସବୁ ଆପ୍ ଜରିଆରେ ଡାଟା ହ୍ୟାକ୍ କରିପାରେ।
ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଡାଟା ସୁରକ୍ଷା ସମ୍ବନ୍ଧିତ ଦିଗ ଓ ୧୩୦ କୋଟି ଭାରତୀୟଙ୍କ ଗୋପନୀୟତାର ସୁରକ୍ଷାକୁ ନେଇ ଚିନ୍ତା ବଢି ଯାଇଥିଲା।
